(ବରଗଡ଼) ୨୩/୯ - ବରଗଡ଼ ଜିଲ୍ଳାର ଜଣେ ଗ୍ରଗତିଶୀଳ ଯୁବ କବି ହରିଲାଲ ସାହୁଙ୍କ ଏକ ସମ୍ବଲପୁରୀ କବିତା " ଲାଏଜ ଲାଗସି ମତେ' ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାରେ ରହିଛି । ଗତ ସାଧାରଣ ନିର୍ବାଚନ ସମୟରେ ବରଗଡ଼ ସାମ୍ବାଦିକ ଫୋରମ ଏବଂ କବି କୁଟୁମ ପକ୍ଷରୁ ଆୟୋଜିତ "କବିର କଲମେ ଭୋଟ ବିଚାର' ସଚେତନତା କାର୍ଯ୍ୟକ୍ରମରେ ହରିଲାଲ ଏହି କବିତାକୁ ବରଗଡ଼ ଜିଲ୍ଳାର ବିଭିନ୍ନ ସ୍ଥାନରେ ପରିବେଷଣ କରିଥିଲେ । ଆମ ଦେଶର ତୃଟୀପୂର୍ଣ୍ଣ ବ୍ୟବସ୍ଥା ତଥା ରାଜନୈତିକ ଓ ପ୍ରଶାସନିକ ସ୍ତରରେ ରହିଥିବା ବିଭିନ୍ନ ଦୋଷ ଦୁର୍ବଳତାକୁ ଅତି ଚମତ୍କାର ଶୈଳୀରେ ଉପସ୍ଥାପନ କରିଛନ୍ତି । ଫେସବୁକରେ ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ଦେଖିବା ସହ ପସନ୍ଦ କରିଛନ୍ତି । ହରିଲାଲଙ୍କ ଏହି କବିିତାକୁ ଜଣେ ଛୋଟ ବାଳକ ଆବୃତ୍ତି କରିବା ଭିଡ଼ିଓଟି ଚର୍ଚ୍ଚାର ବିଷୟ ହୋଇଛି ।
ଫେସବୁକରେ ଛଡ଼ାଯାଇଥିବା ଏହି ଭିଡ଼ିଓକୁ ଦୁଇଦିନ ମଧ୍ୟରେ ଷାଠିଏ ହଜାରରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ହଜାରେରୁ ଅଧିକ ସେଆର ହୋଇ ସାରିଲାଣି । ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର, ଭଲାଙ୍ଗିର, ବରଗଡ଼ ସମେତ ବାଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ଚେନ୍ନାଇ ତଥା ବିଦେଶରେ ଥିବା ସମ୍ବଲପୁରୀ ଭାଷାଭାଷୀ ଲୋକଙ୍କୁ ନେଇ ଥିବା ହ୍ୱାଟସଅପ ଗୃପରେ ଏହା ଅଧିକ ସେଆର ହେଉଥିବା ଏବଂ ଆଦୃତ ହେଉଥିବା ଦେଖାଯାଉଛି । ଅନେକ ଲୋକ ଏହି କବିତା ସଂପର୍କରେ ବିଭିନ୍ନ ପ୍ରକାର ମଜାଦାର ମନ୍ତବ୍ୟ ଦେଉଥିବା ଲକ୍ଷ୍ୟ କରାଯାଉଛି ।
ସୂଚନାଯୋଗ୍ୟଯେ ସମଗ୍ର ଦେଶର ସମ୍ବଲପୁରୀ ଭାଷାଭାଷୀଙ୍କ ମଧ୍ୟରେ ସମ୍ବଲପୁରୀ ଭାଷାର କବିତା ଏବଂ ଏହାକୁ ପରିବେଷଣ କରୁଥିବା କବିଙ୍କ ବିଶେଷ ଚାହିଦା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ କବିତା ଆସର ମାନ ଅନୁଷ୍ଠିତ ହେଉଛି । ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ବିଦେଶରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନଙ୍କୁ ସମ୍ବଲପୁରୀଆ କବି ମାନଙ୍କୁ ନିମନ୍ତ୍ରଣ କରାଯାଉଛି । ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ ପାଇଁ ଚାଲିଥିବା ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ନିଶ୍ଚୟ ସହାୟକ ହେବ ।