(ବରଗଡ଼) ୧୦/୮ - ବରଗଡ଼ ଜିଲ୍ଳା ପାଣିମୋରା ଗ୍ରାମର ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହେଉଥିଲା । ମହାତ୍ମାଗାନ୍ଧୀଙ୍କ ଡ଼ାକରାରେ ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସେ କାରାବରଣ କରିଥିଲେ । ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମରୁ ୩୨ ଜଣ ଏହି ସଂଗ୍ରାମରେ ସାମିଲ ହୋଇ କାରାବରଣ କରିଥିଲେ । ସର୍ବକନିଷ୍ଠ ସଂଗ୍ରାମୀ ଭାବରେ ଶ୍ରୀ ନାୟକ ଜେଲ ଯାଇଥିଲେ । ତାଙ୍କର ମୃତ୍ୟୁ ପରେ ପାଣିମୋରା ଗ୍ରାମରେ ଆଉ ଜଣେ ମାତ୍ର ସ୍ୱାଧିନତା ସଂଗ୍ରାମୀ ଜିବିତ ଅଛନ୍ତି । ସ୍ୱର୍ଗତ ନାୟକଙ୍କ ଦେହାନ୍ତ ପରେ ବରଗଡ଼ ଜିଲ୍ଳାରେ ଶୋକ ପ୍ରକାଶ ପାଇଛି । ମନ୍ତ୍ରୀ ସୁଶାନ୍ତ ସିଂହ, ବରଗଡ଼ ଜିଲ୍ଳାପାଳ ଇନ୍ଦ୍ରମଣି ତ୍ରିପାଠୀ, ପଦ୍ମପୁର ଉପଜିଲ୍ଳାପାଳ ତନ୍ୱୟ ଦରୁଆନ, ପଶ୍ଚିମ ଓଡ଼ିଶା ସ୍ୱାଧିନତା ସଂଗ୍ରାମୀ ସ୍ମୃତି ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ବରଗଡ଼ ସାମ୍ବାଦିକ ସଂଘର ଉପ ସଭାପତି ଉମେଶ ଚନ୍ଦ୍ର ବିଶ୍ୱାଳ, ଜିଲ୍ଳା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ, ବିଜେପି ନେତା ଇରାଶିଷ ଆଚାର୍ଯ୍ୟ, ସୁଶାନ୍ତ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜିବୀ, ବିଭିନ୍ନ ସଗଂଠନର କର୍ମକର୍ତ୍ତା, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ତଥା ଜନସାଧାରଣ ତାଙ୍କର ଶେଷ ଦର୍ଶ କରିଥିଲେ । ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ, ବିକଳ୍ପ ବିଚାର ପତ୍ରିକାର ସଂପାଦକ ଲିଙ୍ଗରାଜ, ଗଣଇସ୍ତାହାରର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର, ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ଅରୁଣ ମହାନ୍ତି ପ୍ରମୁଖ ସ୍ୱର୍ଗତ ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପାଣିମୋରା ସ୍ୱାଧିନତା ସଂଗ୍ରାମୀ ସ୍ମୃତିପୀଠରେ ତାଙ୍କର ମରଶରୀର ଜନସାଧାରଣଙ୍କ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ତାଙ୍କର ସ୍ମୃତିରେ ଆଜି ପାଣିମୋରାର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଶ୍ରୀ ନାୟକଙ୍କ ଦେହାନ୍ତରେ ପାଣିମୋରା ସ୍ୱାଧନତା ସଂଗ୍ରାମ ଇତିହାସର ଏକ ଅଧ୍ୟାୟର ସମାପ୍ତି ଘଟିଛି । ଗଣଇସ୍ତାହାର ତାଙ୍କର ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।